ଭାରତ-ଓମାନ ୮ ରାଜିନାମା ସ୍ୱାକ୍ଷର

0
42

ତ୍ରିରାଷ୍ଟ୍ରୀୟ ଗସ୍ତର ଅନ୍ତିମ ଭାଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଓମାନ୍‌ ସୁଲ୍‌ତାନ୍‌ କ୍ୱାବୁସ୍‌ ବିନ୍‌ ସଇଦ ଅଲ୍‌ ସଇଦଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ କରିବା ଉପରେ ଆଲୋଚନାରେ ଗୁରୁତ୍ୱାରୋପ କରାଯାଇଥିଲା। ବିଶେଷକରି ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି ସହିତ ଶକ୍ତି, ପ୍ରତିରକ୍ଷା, ନିରାପତ୍ତା, ଖାଦ୍ୟ ସୁରକ୍ଷା ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଇଥିଲା ବୋଲି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରବୀଶ କୁମାର ଟ୍ୱିଟର୍‌ ମାଧ୍ୟମରେ ପ୍ରକାଶ କରିଛନ୍ତି । ଓମାନର ବିକାଶରେ ଭାରତୀୟ ନାଗରିକଙ୍କ ନିଷ୍ଠାପୂର୍ଣ୍ଣ ଏବଂ କଠିନ ପରିଶ୍ରମର ଭୂମିକାକୁ ସୁଲ୍‌ତାନ୍‌ କ୍ୱାବୁସ୍‌ ଏହି ଅବସରରେ ପ୍ରଶଂସା କରିଥିଲେ। ମୋଦିଙ୍କ ସହିତ ଗସ୍ତରେ ଥିବା ବହୁ ଭାରତୀୟ ଅଧିକାରୀ ମଧ୍ୟ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପରେ ଉଭୟ ଦେଶ ମଧ୍ୟରେ ୮ଟି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ଏଗୁଡିକ ମଧ୍ୟରେ ବେସାମରିକ ଏବଂ ବାଣିଜ୍ୟିକ ପ୍ରସଙ୍ଗରେ ଆଇନ ଓ ବିଚାର ବିଭାଗୀୟ ସହଯୋଗିତା ସମ୍ବନ୍ଧୀୟ ବୁଝାମଣାପତ୍ର ମଧ୍ୟ ଅନ୍ତର୍ଭୁକ୍ତ। କୂଟନୈତିକ, ସ୍ୱତନ୍ତ୍ର ସେବା ଏବଂ ସରକାରୀ ପାସ୍‌ପୋର୍ଟଧାରି ଲୋକଙ୍କୁ ଭିସା ଛାଡ ସମ୍ପର୍କିତ ରାଜିନାମା ଏବଂ ସ୍ୱାସ୍ଥ୍ୟ, ପର୍ଯ୍ୟଟନ ଓ ବାହ୍ୟ କ୍ଷେତ୍ରର ଶାନ୍ତିପୂର୍ଣ୍ଣ ବ୍ୟବହାର ସମ୍ବନ୍ଧୀୟ ବୁଝାମଣାପତ୍ର ମଧ୍ୟ ଉଭୟ ଦେଶର ଅଧିକାରୀ ସ୍ୱାକ୍ଷର କରିଛନ୍ତି। ସେହିଭଳି ବୈଦେଶିକ ସେବା ପ୍ରତିଷ୍ଠାନ, ବହିର୍ବ୍ୟାପାର ମନ୍ତ୍ରଣାଳୟ, ଭାରତ ଏବଂ ଓମାନ୍‌ର କୂଟନୈତିକ ପ୍ରତିଷ୍ଠାନ ମଧ୍ୟରେ ସହଯୋଗିତା ସମ୍ପର୍କିତ ରାଜିନାମା, ଜାତୀୟ ପ୍ରତିରକ୍ଷା କଲେଜ୍‌, ଓମାନ୍‌ର ସୁଲ୍‌ତାନେଟ୍‌ ଏବଂ ପ୍ରତିରକ୍ଷା ସର୍ଭେ ଓ ଅନୁଧ୍ୟାନ ସମ୍ବନ୍ଧୀୟ ପ୍ରତିଷ୍ଠାନ ମଧ୍ୟରେ ସହଯୋଗିତା ନେଇ ମଧ୍ୟ ରାଜିନାମା ସ୍ୱାକ୍ଷର ହୋଇଛି। ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ନିମନ୍ତେ ମଧ୍ୟ ଉଭୟପକ୍ଷ ବୁଝାମଣା ପତ୍ର ସ୍ୱାକ୍ଷର କରିଛନ୍ତି।

LEAVE A REPLY

Please enter your comment!
Please enter your name here