fbpx

ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନ୍‌ସେଲିଂ: ପାଇଲଟ୍‌ ପ୍ରକଳ୍ପ ଭାବେ ୩୦୦ ବିଦ୍ୟାଳୟ ସାମିଲ

ଭୁବନେଶ୍ବର : ‘ମୋ ସ୍କୁଲ ଅଭିଯାନ’ ଅନ୍ତର୍ଗତ ରୂପାନ୍ତରିତ ହୋଇଥିବା ୩୦୦ ଉଚ୍ଚ ବିଦ୍ୟାଳୟରେ ପାଇଲଟ୍ ପ୍ରକଳ୍ପ ଭାବେ ‘ଷ୍ଟୁଡେଣ୍ଟ୍ ଆସ୍ପିରେସନ୍‌ ପ୍ରୋଗ୍ରାମ୍‌’ ଆରମ୍ଭ ହୋଇଛି। ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟକୁ ଶିକ୍ଷାର ଉତ୍କର୍ଷ କେନ୍ଦ୍ରରେ ପରିଣତ କରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଲକ୍ଷ୍ୟ ନେଇ ଏହାର ଶୁଭାରମ୍ଭ ହୋଇଛି। ପାଠପଢ଼ା ସହ ଛାତ୍ରଛାତ୍ରୀଙ୍କୁ ପାଠ୍ୟଭିତ୍ତିକ କାର୍ଯ୍ୟକ୍ରମ ପ୍ରତି ଆକର୍ଷିତ କରିବାକୁ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ‘ମୋ ସ୍କୁଲ’ ପକ୍ଷରୁ ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମର ଏକ ତାଲିକା ସ୍କୁଲଗୁଡ଼ିକୁ ପ୍ରଦାନ କରାଯିବା ସହ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ତାହାର ଉପଯୋଗ କରିବାକୁ କୁହାଯାଇଛି।

‘ଷ୍ଟୁଡେଣ୍ଟ୍ ଆସ୍ପିରେସନ୍‌ ପ୍ରୋଗ୍ରାମ’ ଅନ୍ତର୍ଗତରେ କରାଯାଉଥିବା କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା ଏବଂ ତାହାର ସଫଳ ରୂପାୟନ ପାଇଁ ଆଜି ‘ମୋ ସ୍କୁଲ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ବିଭିନ୍ନ ସ୍କୁଲ୍‌ର ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଛନ୍ତି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହୋଇଥିବା ଏହି ଆଲୋଚନାରେ ଶ୍ରୀମତୀ ବାଗ୍‌ଚୀ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଓଡ଼ିଆ ମାଧ୍ୟମରେ ପଢ଼ୁଥିବା ଛାତ୍ରଛାତ୍ରୀ ଯେପରି କମ୍ୟୁନିକେସନ ସ୍କିଲ୍‌ ତଥା ସ୍ପୋକନ୍‌ ଇଂରାଜୀରେ ଦକ୍ଷ ହୋଇପାରିବେ, ତାହା ଉପରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପ୍ରଧାନଶିକ୍ଷକ ଗୁରୁତ୍ୱ ଦେବାକୁ ସେ ପରାମର୍ଶ ଦେଇଛନ୍ତି। ଆବଶ୍ୟକସ୍ଥଳେ ପୁରାତନ ଛାତ୍ରଛାତ୍ରୀ, ସ୍କୁଲ୍‌ ମେଣ୍ଟରଙ୍କ ସହଯୋଗ ନିଆଯାଇ ପାରିବ।

ବର୍ତ୍ତମାନ ସମୟରେ ସରକାରୀ ସ୍କୁଲ୍‌ରେ ପଢ଼ିବାକୁ ପିଲାଙ୍କ ଆଗ୍ରହ ବଢ଼ିଛି। ତେଣୁ ସେମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ଆମ ଦାୟିତ୍ୱ। ପିଲାଙ୍କ ପାଖରେ ଜ୍ଞାନର ଅଭାବ ନାହିଁ। ନିଜକୁ ପରିପ୍ରକାଶ କରିବାରେ ଯଦି ସେମାନେ ଦକ୍ଷ ହୋଇପାରିବେ, ତାହା ହେଲେ ଆଗକୁ ଯାଇ ଅନେକ ସଫଳତା ହାସଲ କରିବେ। ସେହିପରି ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର କାଉନ୍‌ସେଲିଂର ଆୟୋଜନ କରାଯିବ। ଧନ୍ଦାମୂଳକ ଶିକ୍ଷା ସହ ଗଣିତ, ବିଜ୍ଞାନ, କମ୍ପ୍ୟୁଟର ବିଜ୍ଞାନ କ୍ଷେତ୍ରରେ ପିଲାଙ୍କୁ ଅଧିକ ଦକ୍ଷ କରିବାକୁ ଶ୍ରୀମତୀ ବାଗ୍‌ଚୀ ପ୍ରଧାନ ଶିକ୍ଷକମାନଙ୍କୁ କହିଥିଲେ।

ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀମାନେ ଯୋଗଦେଇ ନିଜ ନିଜ ବ୍ଲକ୍‌ ଓ ଜିଲ୍ଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ ଆସ୍ପିରେସନାଲ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ଆଗାମୀ ଦିନରେ ରୂପାନ୍ତରିତ ହୋଇଥିବା ସମସ୍ତ ଉଚ୍ଚ ବିଦ୍ୟାଳୟରେ ‘ଷ୍ଟୁଡେଣ୍ଟ୍ ଆସ୍ପିରେସନ ପ୍ରୋଗ୍ରାମ’ ଆରମ୍ଭ କରିବାକୁ ବିଦ୍ୟାଳୟ ଓ ଗଣିଶିକ୍ଷା ବିଭାଗର ଯୋଜନା ରହିଛି। ଏହି କାର୍ଯ୍ୟକ୍ରମ ଅଧୀନରେ ‘ମୋ ସ୍କୁଲ୍‌’ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଷ୍ଠାନ ସହ ମିଳିତ ଭାବରେ କୋଡ୍‌ କ୍ଲବ୍‌, ଶିକ୍ଷକ ପ୍ରଶିକ୍ଷଣ, ଲିଡର୍‌ସିପ୍‌ ଟ୍ରେନିଂ ଭଳି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି।

Get real time updates directly on you device, subscribe now.